କରୋନା ପ୍ରଭାବ- ଜି୨୦ରେ ଭାରତର ଅର୍ଥନୀତି ସବୁଠାରୁ ଖରାପ ।

0
167

ଇଏନ୍‌ଏନ୍ ବ୍ୟୁରୋ, ୦୪/୦୯/୨୦- କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା ହୋଇଥିବା ଲକ୍‌ଡ଼ାଉନ ଦେଶର ଅର୍ଥନୀତିକୁ ଶକ୍ତ ଛଟକା ଦେଇଛି । ଜି୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟ ଅର୍ଥନୀତି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ) ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଏହା ଜଣାଇଛନ୍ତି । ସେ ବିଭିନ୍ନ ଦେଶର ଅଭିବୃଦ୍ଧି ହାରକୁ ନେଇ ଏକ ଗ୍ରାଫ ଜାରି କରିଛନ୍ତି । ଯେଉଁଥିରେ ଭାରତର ଅଭିବୃଦ୍ଧି ୨୫.୬% ହ୍ରାସ ପାଇଥିବା ଉଲ୍ଲେଖ ରହିଛି । ସରକାରଙ୍କ ତରଫରୁ କାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲ-ଜୁନ ତିନି ମାସରେ ଦେଶର ଅଭିବୃଦ୍ଧି ହାର ୨୩.୯% ପ୍ରତିଶତ ହ୍ରାସ ପାଇଛି । କୃଷି କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ବିକାଶ ହାରରେ ବଡ଼ ଧରଣର ହ୍ରାସ ଘଟିଛି ।
ଗୀତା ଟୁଇଟ କରି ଜଣାଇଛନ୍ତି ଯେ, ଏପ୍ରିଲ-ଜୁନ ତ୍ରୟମାସର ଅଭିବୃଦ୍ଧି ହାରକୁ ଲକ୍‌ଡ଼ାଉନ ଐତିହାସିକ ନିମ୍ନ ସ୍ତରକୁ ଟାଣି ଆଣିଛି । ସେ ପୋଷ୍ଟ କରିଥିବା ଗ୍ରାଫ୍‌ରେ ବିଭିନ୍ନ ଦେଶର ଅଭିବୃଦ୍ଧି ତଥ୍ୟ ତୁଳନାତ୍ମକ ଚିତ୍ର ଦିଆଯାଇଛି । ସେ ଜଣାଇଛନ୍ତି ଯେ ଭାରତୀୟ ଅର୍ଥନୀତି ଜୁଲାଇ-ସେପ୍ଟେମ୍ବରରେ କିଛିଟା ସୁଧାର ହେବ । କିନ୍ତୁ ୨୦୨୦-୨୧ ବର୍ଷ ସାରା ଅଭିବୃଦ୍ଧି ହାର ପୂର୍ବବର୍ଷ ତୁଳନାରେ କମ୍ ରହିବ । ଜାନୁଆରୀରୁ ମାର୍ଚ୍ଚ ଭିତରେ ବଢ଼ ଧରଣର କ୍ଷତି ସହିଥିବା ଚୀନର ଅର୍ଥନୀତି ଏପ୍ରିଲ-ଜୁନ୍ ଅବଧିରେ ଦ୍ରୃତ ସୁଧାର ପଥକୁ ଫେରିଛି ବୋଲି ଗୀତା ଜଣାଇଛନ୍ତି ।
ଚଳିତ ବର୍ଷ ଏପ୍ରିଲ-ଜୁନ ସମୟରେ କେବଳ ଚୀନ ୧୨.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଯାହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ର୍ସର୍ବାଧିକ । କୋରିଆର ଅଭିବୃଦ୍ଧି ୩.୨% ହ୍ରାସ ପାଇଥିବା ବୋଳେ ଇଣ୍ଡୋନେସିଆର ୬.୦%, ଅଷ୍ଟ୍ରେଲିଆର ୭%, ଜାପାନର ୭.୮% ରୁଷିଆର ୮.୯% ଆମେରିକାର ୯.୧% ଜର୍ମାନୀର ୯.୭% ବ୍ରାଜିଲର ୯.୭% ତୁର୍କୀର ୧୧%, କାନାଡ଼ାର ୧୧.୫%, ୟୁରୋପ ୨୭ର ୧୧.୭%, ଇଟାଲିର ୧୨.୮%, ଫ୍ରାନ୍ସର ୧୩.୮%, ମେକ୍ସିକୋର ୧୭.୧%, ସ୍ପେନର ୧୮.୫%, ବ୍ରଟେନର ୨୦.୪%, ଓ ଭାରତର ଅଭିବୃଦ୍ଧି ୨୫.୬% ହ୍ରାସ ପାଇଛି । ଜି୨୦ ରାଷ୍ଟ୍ର ସମୂହରେ ଥିବା ଦେଶଗୁଡ଼ିକ ମଧ୍ୟରେ ଚୀନ୍ କୁ ବାଦ ଦେଲେ ଅନ୍ୟ ସବୁ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି । ଏହା ପୂର୍ବରୁ ଗୀତା ଭାରତ ଓ ଆମେରିକା ଅର୍ଥନୀତିରେ ଘଟିଥିବା ହ୍ରାସର ଏକ ତୁଳନାତ୍ମକ ଚିତ୍ର ଦେଇଥିଲେ । ଭାରତର ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ଆମେରିକାର ୩୧.୭ ପ୍ରତିଶତ ହ୍ରାସ ପାଇଛି ବୋଲି ଜଣାଇଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଦେଶ ଦେଶ ଭିତରେ ତୁଳନା କରିବା ଠିକ୍ ନୁହେଁ ବୋଲି ସେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here