ମୁଦ୍ରାସ୍ପୀତି ରୋକିବାକୁ ଆରବିଆଇର ପ୍ରୟାସ, ପରିବର୍ତ୍ତନ ହେବ ନାହିଁ ସୁଧହାର ।

0
373

ମୁଦ୍ରାସ୍ପୀତି ରୋକିବାକୁ ଆରବିଆଇର ପ୍ରୟାସ, ପରିବର୍ତ୍ତନ ହେବ ନାହିଁ ସୁଧହାର ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ନିଷ୍ପତ୍ତି ଅନୁଯାଇ ସୁଧ ହାର (ରେପୋ)ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କରୋନା ପ୍ରଭାବିତ ସାଂପ୍ରତିକ ଅର୍ଥନୀତିକୁ ମୁକାବିଲା କରିବା ସହ ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆରବିଆଇ ପକ୍ଷରୁ ସୁଧ ହାରରେ ହ୍ରାସ କରିପାରେ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । କିନ୍ତୁ ଦେଶର ସାଂପ୍ରତିକ ମୁଦ୍ରାସ୍ପୀତି ସ୍ଥିତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ରେପୋ ହାର ସହିତ ଅନ୍ୟାନ୍ୟ ପ୍ରମୁଖ ବିତ୍ତୀୟ ନୀତି ଅପରିବର୍ତ୍ତତ ରଖିଛନ୍ତି । ବର୍ତ୍ତମାନ ଖାଉଟି ମୁଦ୍ରାସ୍ପୀତି ବୃଦ୍ଧି ଘଟିଥିବା ବେଳେ ଆଗାମୀ ଦିନରେ ଯେଭଳି ଏହା ଚିନ୍ତାଜନକ ହୋଇନପଡ଼େ ସେଥିପ୍ରତି ଅଧିକ ଗୁରୁତ୍ତ୍ୱ ଦିଆଯିବା ସହ ଧାର୍ଯ୍ୟ ଲକ୍ଷ ସୀମା ଭିତରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

କୋଭିଡ଼-୧୯ ପରିସ୍ଥିତକୁ ମୁକାବିଲା କରିବା ସହିତ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆମର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ସୁଧ ହାରରେ ପରିବର୍ତ୍ତନ ନକରି ଏହାକୁ ରିଜର୍ଭ ବ୍ୟାଙ୍କର ଆକୋମୋଡ଼େଟିଭ ନୀତିରେ ଅପରିବର୍ତ୍ତତ ରଖିବାକୁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି ବୋଲି ଶକ୍ତିକାନ୍ତ କହିଛନ୍ତି । ଏହା ଦ୍ୱାରା ବର୍ତ୍ତମାନ ହାର (ବ୍ୟାଙ୍କଙ୍କୁ ଋଣ ଦେବା) ପୂର୍ବରୁ ରୁ ଥିବା ୪% ରହିବା ସହିତ ରିଭର୍ସ ରେପୋ (ଋଣ ଉଠାଣ) ୩.୩୫% ରହିବ । ଅର୍ଥନୀତିର ବିଭିନ୍ନ ଦିଗକୁ ତର୍ଜମା କଲେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ ଏବଂ ଏହାର ପରବର୍ତ୍ତୀ ସମୟରେ ଅଭିବୃଦ୍ଧି ସଙ୍କୁଚିତ ହେବ ବୋଲି ଶକ୍ତିକାନ୍ତ କହିଛନ୍ତି ।

ଗତ ଏପ୍ରିଲ ଓ ମେ ମାସରେ ଅର୍ଥନୀତି ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ସଙ୍କେତ ମିଳିଥିଲେ ହେଁ ଦେଶର ବିଭିନ୍ନ ସହର ଓ ରାଜ୍ୟରେ ସଂକ୍ରମଣର ସ୍ଥିତି ଦିନକୁ ଦିନ ଗମ୍ଭୀର ହୋଇ ପଡ଼ୁଥିବାରୁ ଲକ୍ଡ଼ାଉନ ପ୍ରତ୍ୟାହାର କରିବା ସମ୍ଭବ ହୋଇପାରୁ ନାହିଁ । ଏହାକୁ ନେଇ ଅର୍ଥନୈତିକ କାରବାରରେ ଉନ୍ନତି ଘଟୁନଥିବା ବେଳେ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ସମାନ ପରିସ୍ଥିତି ରହିଥିବାରୁ କାରବାରରେ ପରିବର୍ତ୍ତନ ଦେଖାଯାଉ ନାହିଁ ବୋଲି ସେ କହିଛନ୍ତି । ତେବେ ଗୃହ ନିର୍ମାଣ କ୍ଷେତ୍ର ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଆରବିଆଇ ପକ୍ଷରୁ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here