ବିଜୟ ମହାନ୍ତି-ଦି ଲିଜେଣ୍ଡ (୧୯୫୦-୨୦୨୦)

0
3245

୧୮୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ
ଜୟଦେବ ପୁରସ୍କାର ସହ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ଏକାଧାରାରେ ଅଭିନେତା, ନାଟ୍ୟକାର ଓ ନିର୍ଦ୍ଦେଶକ

ଇଏନ୍‌ଏନ୍ ବ୍ୟୁରୋ, ୨୧/୦୭/୨୦୨୦- ସେ ଥିଲେ ଓଡ଼ିଆ ସିନେମା ଜଗତର ବେତାଜ ବାଦଶାହା । “ମୁଁ ଭଲ ହୋଇଯାଏ, ପୁଣି ନାଟକ କରିବା । ମଞ୍ଚ କମ୍ପାଇବା । ଦର୍ଶକଙ୍କ ହୃଦୟକୁ ଜିଣିବା ।” ଦୁଇ ନାଟ୍ୟ ନିର୍ଦ୍ଦେଶକଙ୍କୁ ସେ ଦେଥିବା କଥା, କିନ୍ତୁ ରହିଗଲା କଥାରେ । ଶେଷରେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ ଚଳଚ୍ଚିତ୍ର ଓ ମଞ୍ଚ ଜଗତର ପ୍ରିୟ କଳାକାର ଏବଂ ଜଣେ ଦରଦୀ ମଣିଷ ବିଜୟ ମହାନ୍ତି । ୧୮୦ ରୁ ଅଧିକ ଓଡ଼ିଆ ସିନେମାରେ ସବୁ ପ୍ରକାରର ଅଭିନୟ କରି ଗାଁ ଠାରୁ ସହର, ଲୋକ ହୃଦୟରେ ବସା ବାନ୍ଧି ଥିଲେ ବିଜୟ ।
“ରୁପା ଶଗଡ଼ିର ସୁନା କନିଆଁ, ନୂଆ ଜହ୍ନ ପରି ଛନଛନିଆ । ତାକୁ ପାଇବ ଯିଏ… ।” ୧୯୮୫ ମସିହାର ଲୋକପ୍ରିୟ ଚଳଚ୍ଚିତ୍ର ‘ଜଗା ହାତରେ ପଘା’ର ଏଇ ମନଛୁଆଁ ଗୀତର ଶଗଡ଼ିଆ ଆଉ ନାହାନ୍ତି । ତାଙ୍କ ଜୀବନ ଶଗଡ଼ ସବୁଦିନ ପାଇଁ ଅଟକିଯାଇଛି । ବିଜୟ ମହାନ୍ତି । କେବଳ ନାମ ହିଁ ଥିଲା ଯଥେଷ୍ଟ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ଲିଜେଣ୍ଡ ଆଉ ନାହାଁନ୍ତି ଆମ ଗହଣରେ ।


୪୩ ବର୍ଷର ଅଭିନୟ ଜଗତର ଲମ୍ବା ଯାତ୍ରାରେ ସେ କୌଣସି ଚିତ୍ରକୁ ଛୁଇଁ ନାହିଁନ୍ତି ବୋଲି କହିହେବ ନାହିଁ । ସବୁ କ୍ଷେତ୍ରରେ ତାଙ୍କର ପ୍ରତିଭା ଦିଗନ୍ତ ବିସ୍ତାର କରିଥିଲା । କେତେବେଳେ ନାୟକ ତ କେତେବେଳେ ଖଳନାୟକ । ପୁଣି କେଉଁଠି ହାସ୍ୟ ଅଭିନେତା ହୋଇ ହାସ୍ୟ ରସ ବାଣ୍ଟିଛନ୍ତି । ବାପା, ଭାଇ, ଜେଜେ, ଅଜା ଆଦି ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ପ୍ରତିଟି ପର୍ଯ୍ୟାୟରେ ତାଙ୍କ ଅଭିନୟ ନିଖୁଣ ଓ ଅତୁଳନୀୟ । ବାରି ହୋଇପଡ଼େ ତାଙ୍କ ଅଭିନୟ, କେବଳ ବାରି ହୋଇପଡ଼େ ନାହିଁ ସ୍ମୃତି ହୋଇ ରହିଯାଇଛି ଚିର ଦିନ ପାଇଁ । ସେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସାହିତ୍ୟ ରଚନା ବି କରିଛନ୍ତି ।


ତାଙ୍କର କିଛି ଏମିତି ଅଭିନୀତ ସନେମା ରହିଛି ଯେଉଁଥି ପାଇଁ ସେ ସର୍ବଦା ମନେ ରହିବେ । ‘ଆରତି’, ‘ମମତା ମାଗେ ମୂଲ’, ‘ଏଇ ଆମ ସଂସାର’, ‘ଆମ ଘର ଆମ ସଂସାର’, ‘ କି ହେବ ଶୁଆ ପୋଷିଲେ’, ‘ଜଗା ହାତରେ ପଘା’, ‘ଭିଷ୍ମ ପ୍ରତିଜ୍ଞା’, ‘ଭାଇ ହେଲା ଭଗାରୀ’, ‘ସୁନା ପଞ୍ଜୁରୀ’, ‘ଲକ୍ଷ୍ମଣ ରେଖା’, । ୧୯୮୭ ମସିହାରେ ବିଜୟ “ଭୁଲି ହୁଏନା” ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏହା ତାଙ୍କ ନିର୍ଦ୍ଦେଶିତ ଏକମାତ୍ର ସିନେମା । ଏହି ଚଳଚ୍ଚିତ୍ରଟ ି ବିଶେଷ ସଫଳତା ପାଇ ନଥିଲା, ତେଣୁ ସେ ଆଉ ନିର୍ଦ୍ଦେଶନା ଦେଇ ନଥିଲେ । ବିଜୟଙ୍କ ପ୍ରଥମ ସନେମା କହିଲେ ସମସ୍ତେ କହନ୍ତି “ଚିଲିକାତୀରେ’ । କିନ୍ତୁ ‘ଚିଲିକା ତୀରେ’ ପୂର୍ବରୁ ତାଙ୍କ ଅଭିନୀତ ସିନେମା ‘ଅଭିମାନ’ ପ୍ରଥମେ ମୁକ୍ତିଲାଭ କରିଥିଲା । ୧୯୭୭ ମସିହାରେ ଉଭୟ ‘ଅଭିମାନ ଓ ଚିଲିକା ତୀରେ’ ମୁକ୍ତିଲାଭ କରିଥିଲା । ଅଭିମାନରେ ସେ ଏକ ଛୋଟ ଭୁମିକାରେ ନଜରକୁ ଆସିଥିଲେ । ସେ ପରିଚୟ ହାସଲ କରିପାରି ନଥିଲେ । ‘ଚିଲିକା ତୀରେ’ ରେ ନାୟକ ଭାବେ ଆସିଥିଲେ । ଏବଂ ଦର୍ଶକ ତାଙ୍କ ଅଭିନୟରେ ଦେଖି ଅଭିଭୁତ ହୋଇଥିଲେ । ଏହା ତାଙ୍କୁ ଆଣି ଦେଇଥିଲା ସୁନାମ ଓ ପରିଚୟ ।


କେନ୍ଦ୍ରାପଡ଼ାରେ ଶରୀର ଜନ୍ମ ନେଇଥିଲେ । ବାରିପଦାରେ ମନ । ଆଉ ଅଭିନେତା ହିସାବରେ ଜନ୍ମ ହେଲି ୧୯୭୭ ମସିହା ଜାନୁଆରୀ ୧୪ ତାରିଖରେ । ଏହି ଦିନରେ ନାୟକ ଭାବେ ମୋର ପ୍ରଥମ ଚଳଚ୍ଚିତ୍ର ‘ଚିଲିକା ତୀରେ’ ସ୍ୱାକ୍ଷର କରିଥିଲି । ଏହା ହିଁ ମୋର ତୃତୀୟ ଜନ୍ମ ବୋଲି ଏକ ସାକ୍ଷାତକାରରେ କହିଥିଲେ ଦିବଗଂତ ଅଭିନେତା ବିଜୟ । “ ମୋ ଶରୀର କେନ୍ଦ୍ରାପଡ଼ାରେ ଜନ୍ମ ନେଇଥିଲା କିନ୍ତୁ ବଢ଼ିଥିଲି ବାରିପଦାରେ । ସେ ସହର, ସେ ମାଟି, ସେଠାକାର ଲୋକଙ୍କ ଭଲପାଇବା, କଳାପ୍ରତି ସେବାନଙ୍କ ଅଦମ୍ୟ ସ୍ନେହ ଆଉ ପ୍ରେମରେ ମୁଁ ତିଆରି ହୋଇଥିଲି । ଅଭିନୟ ମୂଳଦୁଆ ବରିପଦାରେ ପଡ଼ିଥିଲା । ଆଉ ଅଭିନେତା ହେବା ପାଇଁ ସ୍ୱପ୍ନ ସେଇଠୁ ହିଁ ଦେଖିଥିଲି । ବରିପଦାରେ ମୋ ମନ ଜନ୍ମ ନେଇଥିଲା”, ବୋଲି କହିଛନ୍ତି ସେ ।
ବିଜୟଙ୍କ ଶୈଶବ ବାରିପଦାରେ ବିତିଥିଲା । ସେଠାରେ ଏମ୍ପିସି ହାଇସ୍କୁଲରେ ପଢ଼ିବାବେଳେ ସେ ମଞ୍ଚ ନାଟକରେ ସାମିଲ ହୋଇଥିଲେ । ବି.ଏ ପସ୍ ପରେ ସେ ନ୍ୟାସନାଲ ସ୍ୱୁଲ ଅଫ୍ ଡ଼୍ରାମା ( ପୁଣେସ୍ଥିତ ଏନଏସଡ଼ି) ରେ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ । ସେଠାରେ ବିଶିଷ୍ଟ ଅଭିନେତା ନାଶିରୁଦ୍ଦିନ ସହା, ରାଜ ବବର, ଓମପୁରୀ ପ୍ରମୁଖ ତାଙ୍କ ସହପାଠୀ ଥିଲେ । ୧୯୭୫ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଅବସ୍ଥାନ କରି ଥିଏଟର କରି ଆସୁଥିଲେ । ୧୯୭୭ ରେ ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ ରୁ ନୟକ ଭାବେ ଅଭିନୟ ଆରମ୍ଭ କରିଥିଲେ । ଏହା ଜାତୀୟ ପୁରସ୍କାର ପାଇଥିଲା । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଟକ ବିଭାଗରେ ସେ ୧୯୭୭ ମସିହାରେ ଯୋଗ ଦେଇଥିଲେ ଜଣେ ପ୍ରଫେସର ଭାବେ । ସେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଉଦ୍ୟମରେ ବାରିପଦାରେ ଯୁଗେଚ୍ଛା ନାମକ ଏକ ନାଟ୍ୟଦଳ ଗଢ଼ି ଉଠିଥିଲା । ଯେଉଁ ଅନୁଷ୍ଠାନ ଏକାଧିକ ସଫଳ ନାଟକ ଦର୍ଶକଙ୍କୁ ଭେଟି ଦେଇଥିଳା । ସେ ଦୂରଦର୍ଶନର “ ଆଶାର ଆଲୋକ, ଶ୍ରୀ ଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନ ଦେଖିଲେ ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ’ ପ୍ରଭୃତି ଧାରାବାହିକରେ ଅଭିନୟ କରିଥିଲେ ।


୨୦୧୪ ଫେବୃଆରୀ ୨୭ରେ ବିଜୟ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ସେ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ଳଢ଼ି ପରାଜିତ ହୋଇଥିଲେ । ଏହା ପରବର୍ତ୍ତୀ ସମୟରେ ସେ ରାଜନୀତିରୁ ନିଜକୁ ଦୁରେଇ ନେଇ ଅଭିନୟରେ ମନୋନିବେଶ କରିଥିଲେ ।
ବିଳ୍ଲବ ରାୟ ଚୌଧୂରୀଙ୍କ ଚଳଚିତ୍ରରେ ତନ୍ଦ୍ରା ରାୟଙ୍କ ସହିତ ଏକ ଚଳଚିତ୍ରରେ ସେ ଅଭିନୟ କରିଥିଲେ । ଅଭିନୟ କରୁ କରୁ ବାସ୍ତବ ଜୀବନରେ ମଧ୍ୟ ସେ ମଧ୍ୟ ତାଙ୍କ ନାୟକ ହୋଇଥିଲେ । ତାଙ୍କ ସହ ବିଜୟ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ସଫଳ ଯୋଡ଼ି ଭାବେ ପରିଚୟ ସୃଷ୍ଟି କରିଥିଲେ । ଉଭୟଙ୍କର ଏକମାତ୍ର କନ୍ୟା ଯସ୍ମିନ ଅଛନ୍ତି ।
ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୪ରେ ଜୟଦେବ ସମ୍ମାନ ପାଇଥିଲେ । ଏହା ବ୍ୟତୀତ ୬ ରୁ ଅଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, କଳା ସଂସ୍କୃତି କ୍ଷେତ୍ରରେ ଅନନ୍ୟ ଅବଦାନ ନିମନ୍ତେ ଜାତୀୟ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ ସମ୍ମାନ ଆଦି ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିଲେ ବିଜୟ ।

LEAVE A REPLY

Please enter your comment!
Please enter your name here