କରୋନା ପ୍ରଭାବ-ଆୟକୁ ବଳିଗଲାଣି ଟିକଟ ଫେରସ୍ତ ଟଙ୍କା ।

0
184

ଇଏନ୍‌ଏନ୍ ବ୍ୟୁରୋ, ୨୪/୦୮/୨୦- କରୋନା ମହାମାରୀ ପାଇଁ ଭାରତୀୟ ରେଳ ପକ୍ଷରୁ ଗତ ୫ ମାସ ମଧ୍ୟରେ ୧ କୋଟି ୭୮ ଲକ୍ଷ ଟିକଟ ବାତିଲ କରାଯାଇଛି । ଟିକଟ ବାତିଲ ପାଇଁ ରେଳଯାତ୍ରୀଙ୍କୁ ୨,୭୨୭ କୋଟି ଟଙ୍କା ଫେରସ୍ତ କରାଯାଇଛି । ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ସୂଚନା ମୁତାବକ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ ହେବାପରେ ରେଳପଥ ମୋଟ ୧କୋଟି ୭୮ ଲକ୍ଷ ୭୦ ହଜାର ୬୪୪ ଟି ଟ୍ରେନ ଟିକେଟ୍ ବାତିଲ କରିଛି । ୨୦୨୦-୨୧ ପ୍ରଥମ ତ୍ରୟମାସରେ ଭାରତୀୟ ରେଳପଥ ନିଜ ଆୟ ତୁଳନାରେ ଅଧିକ ଅର୍ଥ ଫେରସ୍ତ କରିଛି । ଏହି କାରଣରୁ ରେଳପଥକୁ ୧,୦୬୬ କୋଟି ଟଙ୍କା ଅତିରିକ୍ତ କ୍ଷତି ସହିବାକୁ ପଡ଼ିଛି ।
ଭାରତୀୟ ରେଳପଥ ଗତ ବର୍ଷ ଏପ୍ରିଲ ୧ରୁ ଅଗଷ୍ଟ ୧୧ ମଧ୍ୟରେ ଟିକଟ ବାତିଲ ପାଇଁ ୩,୬୬୦ କୋଟି ଟଙ୍କା ଫେରସ୍ତ କରିଥିଲା । ଏହି ସମୟ ମଧ୍ୟରେ ରେଳପଥ ଯାତ୍ରୀ ଭଡ଼ାରୁ ୧୭,୩୦୯ କୋଟି ଟଙ୍କା ଆୟ କରିଥିଲା । ଚଳିତ ବର୍ଷ ଏହି ସମୟରେ ସ୍ଥିତି ସଂମ୍ପୁର୍ଣ୍ଣ ବଦଳି ଯାଇଛି । ଟ୍ରେନ ସେବା ବାତିଲ ପାଇଁ ଏପ୍ରିଲ, ମେ’ ଓ ଜୁନ ମାସ ପାଇଁ ଆଗୁଆ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ପାଇଁ ଅର୍ଥ ଫେରସ୍ତ କରିବାକୁ ପଡ଼ିଥିଲା । ଏପ୍ରିଲରେ ୫୩୧.୧୨ କୋଟି ଟଙ୍କା, ମେ’ରେ ୧୪୫.୨୪ କୋଟି ଟଙ୍କା ଓ ଜୁନରେ ୩୯୦.୬ କୋଟି ଟଙ୍କା ରାଜସ୍ୱ ହାନି ହୋଇଛି । ଏହି ଅବଧିରେ ରେଳପଥ ଯାତ୍ରୀବାହୀ ସେବାରୁ ଯେତିକି ଆୟ କରିଛି ତାହାଠାରୁ ଯଥେଷ୍ଟ ଅଧିକ ଅର୍ଥ ଟିକେଟ ବାତିଲ ପାଇଁ ଫେରସ୍ତ କରିଛି । ୨୦୧୯-୨୦ ର ଏପ୍ରିଲ ମାସରେ ରେଳପଥ ଯାତ୍ରୀବାହୀ ସେବାରୁ ୪,୩୪୫ କୋଟି, ମେ’ରେ ୪,୪୬୩ କୋଟି ଓ ଜୁନ ରେ ୪,୫୮୯ କୋଟି ଟଙ୍କା ଆୟ କରିଥିଲା । କିଛି ସ୍ପେସିୟାଲ ଟ୍ରେନକୁ ଛାଡ଼ି ରେଳ ଚଳାଚଳ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଥିବାରୁ ରେଳପଥର ରାଜସ୍ୱ ଆହୁରି ଅଧିକ ପ୍ରଭାବିତ ହେବାର ଅଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here