ନିରବି ଗଲା ମଧୁରାଷ୍ଟକମ୍‌ର ମଧୁର ସ୍ୱର । ଗ୍ରହ ଭାବେ ବ୍ରହ୍ମାଣ୍ଡରେ ଅମର ହୋଇ ରହିଲେ ପଣ୍ଡିତ ଯଶରାଜ ।

0
191

ଇଏନଏନ୍ ବ୍ୟୁରୋ, ୧୮/୦୮/୨୦୨୦- ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଯଶରାଜଙ୍କ ହୃଦଘାତରେ ଆମେରିକାରେ ପରଲୋକ ଘଟିଛି । ଦୀର୍ଘ ୮୦ ବର୍ଷର ଶାସ୍ତ୍ରୀୟ ସଙ୍ଗୀତ ଯାତ୍ରାର ଅନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ୧୦ ବର୍ଷରୁ ହିଁ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ । ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହ ସେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।
୧୯୩୦ ମସିହା ଜାନୁଆରି ୨୮ ତାରଖରେ ହରିୟାଣାର ହିସାର ଜିଲ୍ଳାର ପଲିମନ୍ଦୋରୀ ଗାଁ ର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଯଶରାଜ । ମାତ୍ର ୪ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ବଡ଼ ଭାଇ ପଣ୍ଡିତ ପ୍ରତାପ ନାରାୟଣଙ୍କର ଠାରୁ ସଙ୍ଗୀତ ଓ ତବଲା ଶିକ୍ଷା କରିଥିଲେ । ମାତ୍ର ୧୦ ବର୍ଷ ବୟସରୁ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ ଏବଂ ୨୨ ବର୍ଷରେ ପ୍ରଥମ ଷ୍ଟେଜ ଶୋ କରିଥିଲେ । ୧୯୬୨ ସେ ଫିଲ୍ମ ନିର୍ଦ୍ଦେଶକ ଭି.ଶାନ୍ତାରାମଙ୍କ ଝିଅ ମଧୁରା ଶାନ୍ତାରାମଙ୍କୁ ବିବାହ କରିଥିଲେ ସେ ।
ପଣ୍ଡିତ ଯଶରାଜ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ତାଙ୍କ ସଙ୍ଗୀତ ଶିକ୍ଷା ତବଲାରୁ ଆରମ୍ଭ ହୋଇଥିଲା । ୧୪ ବର୍ଷ ବୟସର ଥିବା ବେଳେ ଏକ ଘଟଣା କ୍ରମରେ ତାଙ୍କ ସଙ୍ଗୀତ ଜୀବନର ମୋଡ଼ ବଦଳିଯାଇଥିଲା । ୧୯୪୫ ମସିହାରେ ଲାହୋରରେ କୁମାର ଗନ୍ଧର୍ବଙ୍କ ସହିତ ସେ ତାବଲା ସଙ୍ଗୀତ ବାଦନ କରୁଥିଲେ । କାର୍ଯ୍ୟକ୍ରମର ପରଦିନ କୁମାର ଗନ୍ଧର୍ବ ମୋତେ ଗାଳି ଦେଇଥିଲେ । ସେ କହିଥିଲେ ଯଶରାଜ ତୁମେ ଚମଡ଼ା ପିଟିଲ, କିନ୍ତୁ ରାଗ ବିଷୟରେ କିଛି ଶିଖିଲ ନାହିଁ । ସେହିଦିନ ଠାରୁ ମୁଁ ଆଉ ତାବଲାରେ ହାତ ଦେଇ ନାହିଁ । ତବଲା ବଜାଇବା ବଦଳରେ ଗୀତ ଗାଇବା ଆରମ୍ଭ କଲି ବୋଲି କହିଥିଲେ ପଣ୍ଡିତ ।


ମଧୁରାଷ୍ଟକମ୍ ତାଙ୍କର ସବୁଠାରୁ ପ୍ରିୟ ଥିଲା । ଶ୍ରୀ ବଲ୍ଲଭାଚାର୍ଯ୍ୟଙ୍କ ଦ୍ୱାରା ଭଗବାନ କୃଷ୍ଣଙ୍କ ଉପରେ ରଚିତ ମଧୁରାଷ୍ଟକମ୍ ଏକ ମଧୁର ସ୍ତୁତି । ପଣ୍ଡିତ ଯଶରାଜ ଏହି ସ୍ତୁତିକୁ ନିଜ ସ୍ୱରରେ ଘରେ ଘରେ ପହଞ୍ଚାଇ ପାରିଥିଲେ । ପଣ୍ଡିତ ଯଶରାଜ ତାଙ୍କ ସବୁ କାର୍ଯ୍ୟକ୍ରମରେ ମଧୁରଷ୍ଟକମ୍ ଗାଇଥାନ୍ତି । ଏହି ସ୍ତୁତିରେ ରହିଛି ଅଧରଂ ମଧୁରଂ ବଦନଂ ମଧୁରଂ, ନୟନଂ ମଧୁରଂ ହସିତଂ ମଧୁରଂ । ହୃଦୟଂ ମଧୁରଂ ଗମନଂ ମଧୁରଂ, ମଧୁରାଧିପତେରଖିଳଂ ମଧୁରଂ । ଯଶରଙ୍ଗୀ ଯୁଗଳବନ୍ଦୀର ରଚନା କରିଥିଲେ ପଣ୍ଡିତ ଯଶରାଜ । ଏଥିରେ ମହିଳା ଏବଂ ପୁରୁଷ ଗାୟକ ଭିନ୍ନ ଭିନ୍ନ ରାଗରେ ଏକା ସାଙ୍ଗରେ ଗାଇଥାନ୍ତି । ଏହି ଯୁଗଳବନ୍ଦୀକୁ ଯଶରଙ୍ଗୀ ନାମକରଣ କରାଯାଇଛି ।


ସଙ୍ଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଓଡ଼ିଶାର ନଥିଲେ, ମାତ୍ର ଓଡ଼ିଶା ସହିତ ତାଙ୍କର ନିବିଡ଼ ସଂମ୍ପର୍କ ରହିଥିଲା । ୧୯୭୫ ମସିହାରେ ମୁମ୍ବାଇରେ ଭି.ଶାନ୍ତାରାମଙ୍କ ଷ୍ଟୁଡ଼ିଓରେ ନିର୍ମିତ ହୋଇଥିବା ‘ଗୀତଗୋବିନ୍ଦ’ ନୃତ୍ୟ ନାଟିକାର ସଙ୍ଗୀତ ନିର୍ଦ୍ଦେଶନା ଦେଥିଲେ ପଣ୍ଡିତ । ସେତେବେଳେ ସେହି ନୃତ୍ୟନାଟିକାର ନୃତ୍ୟ ସଂଯୋଜନା କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର । ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସହ ମଧ୍ୟ ସେ ନୃତ୍ୟ ମଞ୍ଚରେ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ । ବିଭିନ୍ନ ସମୟରେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ବହୁବାର ଓଡ଼ିଶା ଆସିଛନ୍ତି । ବିଭିନ୍ନ ସମୟରେ ଓଡ଼ିଶା ଆସିବା ପଛରେ ତାଙ୍କର ଆଉ ଏକ ଲକ୍ଷ୍ୟ ଥିଲା ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ଦର୍ଶନକରିବା । ସେ ପ୍ରଭୁଙ୍କ ମଙ୍ଗଳା ଆଳତି ଦେଖି ବିଭୋର ହୋଇ ଯାଉଥିଲେ ।


ପଣ୍ଡିତ ଯଶରାଜଙ୍କ ନାମରେ ମହାକାଶରେ ଏକ ଗ୍ରହର ନାମକରଣ କରାଯାଇଛି । ଏହି କ୍ଷୁଦ୍ର ଗ୍ରହଟି ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଅବସ୍ଥିତ । ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ସଂଘ (ଆଇଏୟୁ) ଦ୍ୱାରା ୨୦୦୬ ମସିହା ନଭେମ୍ବର ମାସ ୧୧ ତାରିଖରେ ମହାକାଶରେ ଏହି କ୍ଷୁଦ୍ର ଗ୍ରହ ଆବିଷ୍କାର କରାଯାଇଥିଲା । ଆବିଷ୍କାର ପରେ ଏହି ଗ୍ରହର ପ୍ରଥମ ନାମ ‘ଭିପି୩୨-୩୦୦୧୨୮’ ରଖାଯାଇଥିଲା ମାତ୍ର ଗତବର୍ଷ ଅର୍ଥାତ ୨୦୧୯ ସେପ୍ଟମ୍ବର ୨୩ରେ ଏହି ଗ୍ରହର ନାମକରଣ ସଙ୍ଗୀତ ମାର୍ତ୍ତଣ୍ଡ ପଣ୍ଡିତ ଯଶରାଜଙ୍କ ନାମାନୁସାରେ ‘ପଣ୍ଡିତଯଶରାଜ’ ରଖାଯାଇଛି । ପଣ୍ଡିତ ଯଶରାଜ ହେଉଛନ୍ତି ପ୍ରଥମ ଭାରତୀୟ ସଙ୍ଗୀତଶିଳ୍ପୀ ଯାହାଙ୍କ ନାମରେ ମହାକାଶରେ ଏକ ଗ୍ରହର ନାମକରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here