ଶକ୍ତି ଯୋଗାଣ ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କର-ମୁଖ୍ୟ ଶାସନ ସଚିବ

0
380

ଇଏନ୍‌ଏନ୍ ବ୍ୟୁରୋ, ୨୯/୦୭/୨୦-ପରିଚାଳନା ଓ ବ୍ୟବସାୟିକ ସଂସ୍କାର ମାଧ୍ୟମରେ ରାଜ୍ୟର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ.ପି.ଟି.ସି.ଏଲ୍, ଗ୍ରୀଡକୋ ଏବଂ ବିତରଣ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତ ବ୍ୟବସ୍ଥାରେ କୋଭିଡର ପ୍ରଭାବ ଏବଂ ବର୍ତ୍ତମାନର ଆବଶ୍ୟକତା ଆଦି ବିଷୟରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭିତ୍ତିଭୂମିକୁ ପୂର୍ଣ୍ଣ ଉପଯୋଗ କରି ବିଦ୍ୟୁତ ଯୋଗାଣର ମାନ ବୃଦ୍ଧି କରିବାକୁ ଶ୍ରୀ ତ୍ରିପାଠୀ ଓ.ପି.ଟି.ସି.ଏଲ୍ ଏବଂ ବିତରକ କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଥିଲେ ଯେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରାଗଲେ ଶିଳ୍ପାନୁଷ୍ଠାନ ମାନେ ଗ୍ରୀଡକୋରୁ ବିଦ୍ୟୁତ କିଣିବେ । ନିଜସ୍ୱ ପାୱାର ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ଅପେକ୍ଷା ଏହା ସେମାନଙ୍କୁ ଅଧିକ ଶସ୍ତା ଓ ସୁବିଧାଜନକ ହେବ । ଗ୍ରୀଡକୋରୁ ବିଦ୍ୟୁତ ନେବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଶିଳ୍ପାନୁଷ୍ଠାନମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶିଳ୍ପ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ରୋତରୁ ୭.୧୫ ଜିଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି । ସରକାରଙ୍କ ଲଗାତାର ସାହାଯ୍ୟ ଫଳରେ ବିଦ୍ୟୁତ ଭିତ୍ତିଭୂମିରେ ବ୍ୟାପକ ସଂପ୍ରସାରଣ ହୋଇଛି । ରାଜ୍ୟରେ ଗ୍ରୀଡ୍ ଏବଂ ୩୩/୧୧ କେ.ଭି. ସବଷ୍ଟେସନ୍ ସଂଙ୍ଖ୍ୟା ଯଥାକ୍ରମେ୧୫୬ ଏବଂ ୯୧୯ କୁ ବୃଦ୍ଧି ପାଇଛି । ଏଚ୍.ଟି.ଲାଇନ୍ ୧,୫୮,୪୪୫ କି.ମି. ଏବଂ ଏଲ୍.ଟି. ଲାଇନ୍ ୧,୮୪,୦୧୦ କି.ମି. କୁ ସଂପ୍ରସାରଣ କରାଯାଇଛି ଗ୍ରାହକଙ୍କ ସଂଙ୍ଖ୍ୟା ୮୯ ଲକ୍ଷକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟର ମାନ୍ୟତା ହାସଲ କରିଛି । ବାହାର ରାଜ୍ୟକୁ ବିକ୍ରୀ କରିବା ପାଇଁ ବାର୍ଷିକ ପ୍ରାୟ ୧୦୦୦ ମେଗାୱାଟ୍ ବଳକା ବିଦ୍ୟୁତ ଓଡ଼ିଶା ପାଖରେ ଅଛି ।


ବିଦ୍ୟୁତ ଏକ ଗୁରୁତ୍ୱପୂର୍ଣ୍ଣ ମୌଳିକ ଆବଶ୍ୟକତା ହୋଇଥିବାରୁ ଗ୍ରୀଡ଼କୋଙ୍କୁ ଆବଶ୍ୟକୀୟ ଆର୍ଥିକ ଗ୍ୟାରେଣ୍ଟି ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ବିତରକ କଂପାନୀମାନେ ଚଳିତ ବର୍ଷ ମଧ୍ୟରେ ନିଜ ନିଜର ବିଲ୍ ବଣ୍ଟନ ଏବଂ ଦେୟ ଆଦାୟର ଶତକଡା ୯୮ ଭାଗ ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ବିଶେଷତଃ ସାମୁଦାୟିକ ବୈଷୟିକ ଏବଂ ବ୍ୟବସାୟିକ (ଏ.ଟି. ଆଣ୍ଡ ସି.) କ୍ଷତି କମାଇବା ଦ୍ୱାରା ଏହି କ୍ଷତି ଶତକଡା ୫୭ ରୁ ଶତକଡା ୩୦ ଭାଗକୁ କମାଯାଇ ପାରିଛି । ଶତକଡା ୧ ଭାଗ ଏ.ଟି.ଆଣ୍ଡ ସି. କ୍ଷତି କମିଲେ ୧୩୦ କୋଟି ଟଙ୍କାର ରାଜସ୍ୱ ଅଧିକ ମିଳିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଲକ୍ଷ୍ୟଭେଦୀ କାର‌୍ୟ୍ୟଯୋଜନା ମାଧ୍ୟମରେ ଏହି କ୍ଷତିକୁ ୧୫ % ପର‌୍ୟ୍ୟନ୍ତ କମାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ନୂତନ ବୈଷୟିକ କୌଶଳ ଗୁଡିକ ମାଧ୍ୟମରେ ନିଜର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ବୁଦ୍ୟୁତ୍ କଂପାନୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।


ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରମୁଖ ଶାସନ ସଚିବ ତଥା ଓ.ପି.ଟି.ସି.ଏଲ୍ ଅଧ୍ୟକ୍ଷ ଶ୍ରୀ ସୌରଭ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଗ୍ରୀଡ଼କୋର ଆର୍ଥିକ ନିର୍ଦ୍ଦେଶକ ଶ୍ରୀ ଗଗନ ସ୍ୱାଇଁଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here