ଚଳିତ ମୌସୁମି ବଷ୍ଟିପାତରେ ଗଲାଣି ୫ ଜୀବନ ।

0
1199

ଇଏନ୍‌ଏନ୍ ବ୍ୟୁରୋ, ୨୧/୦୮/୨୦- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଳାରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଅଛି । ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ହାରାହାରି ୧୬.୦ ମି.ମି. ବୃଷ୍ଟିପାତ ହୋଇଅଛି । ଦୁଇଗୋଟି ବ୍ଲକ ଯଥା ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ୧୧୨.୩ ମି.ମି. ଓ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରେ ସର୍ବାଧିକ୧୨୬.୨ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଅଛି । ରାଜ୍ୟର ୨୨ଟି ବ୍ଲକରେ ୫୦ ମି.ମି. ରୁ ଉର୍ଦ୍ଧ୍ୱ ଓ ୫୯ ଟି ବ୍ଲକରେ ୨୦ ମି.ମି. ରୁ ୫୦ ମି.ମି. ମଧ୍ୟରେ ବୃଷ୍ଟିପାତ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଅଛି ।
ସ୍ପେସିଆଲ ରିଲିଫ କମିସନର (ଏସ୍‌ଆରସି) ଦେଇଥିବା ସୂଚନା ଅନୁଯାଇ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଠାରେ ବିପଦସଙ୍କେତର ସାମନ୍ୟ ଉପରେ ପ୍ରବାହିତ ହେଉଅଛି । ଏଠାରେ ବିପଦସଂକେତ ୧୭.୮୩ ମିଟର ଥିବାବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ନଦୀର ଜଳସ୍ତର ୧୭.୯୪ ମିଟର ଥିଲା । ମାତ୍ର ଏହି ନଦୀର ଜଳସ୍ତର ଯୋଗୁଁ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ଏବଂ ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନଥିବାରୁ ଜଳସ୍ତର ଖୁବ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଅଛି । ସେହିପରି ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତର ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ସ୍ଥିର ରହିଅଛି । ଏହି ନଦୀଯୋଗୁଁ ମଧ୍ୟ କୌଣସି ବନ୍ୟା ପରିସ୍ଥିତିର ଆଶଙ୍କା ନାହିଁ । ନବରଙ୍ଗପୁର ଜିଲ୍ଲାରେ ବୃଷ୍ଟିପାତ ଯୋଗୁଁ କୋରାପୁଟ ଜିଲ୍ଲାର କୋଠପାଟ ବ୍ଲକ ଅନ୍ତର୍ଗତ ସୁରଲି ଠାରେ ଜାତୀୟ ରାଜପଥ ୨୬ର ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁଁ ବରିଗୁମା ଠାରୁ ଜଗଦଲପୁର ରାସ୍ତା ବିଚ୍ଛିନ୍ନ ହୋଇଅଛି । ସେଠାରେ ପୋଲିସ୍‌, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ବ୍ଲକ ଓ ତହସିଲ୍ କର୍ମଚାରୀମାନେ ମୁତୟନ ରହିବା ସହ ପରିସ୍ଥିତି ପ୍ରତି ସଜାଗ ଅଛନ୍ତି । ବୃଷ୍ଟିପାତ ଫଳରେ ଏହି ଜିଲ୍ଲାରେ ୧୨୦ଟି ବାସଗୃହ ଓ ଗୋଟିଏ ଗୁହାଳ କ୍ଷତିଗ୍ରସ୍ତ ହୋଇଅଛି ।


ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨.୫ ମି.ମି. ବୃଷ୍ଟିପାତ ହେବା ଫଳରେ କଙ୍ଗାରୁକୋଣ୍ଡା, କନ୍ୟାଶ୍ରମ, କୋରକୁଣ୍ଡା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଅଛି । ମାତ୍ର ଏମ୍‌.ଭି. ୯୦, ଏମ୍‌.ଭି ୯୬ ପୋଲ ତଳେ ବନ୍ୟା ଜଳସ୍ତର କମିବାରେ ଲାଗିଛି । ମାଥିଲି ବ୍ଲକର ପଙ୍ଗାମ୍ ପୋଲ ଓ ସାବେରୀ ପୋଲ ତଳେ ମଧ୍ୟବନ୍ୟ।। ଜଳ ପ୍ରବାହିତ ହେଉଅଛି । ମୋଟୁର ମୋଗି ପଏଣ୍ଟ ଠାରେ ସିଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଅଛି । ଗତକାଲି ରାତିରେ ମାଥିଲି ବ୍ଲକର ୧୬୯ ଜଣ ବ୍ୟକ୍ତି ଓ କାଲିମେଳା ବ୍ଲକର ୮୧ ଜଣ ବ୍ୟକ୍ତିଙ୍କୁ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଅଛି ।
ରାଜ୍ୟରେ ମୌସୁମିୀ ଜନିତ ବୃଷ୍ଟିପାତ ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୩ ଜଣଙ୍କର କାନ୍ଥପଡ଼ି ଓ ଦୁଇ ଜଣ ନଦୀରେ ଭାସିଯାଇ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ୩ ଜଣ ବଲାଙ୍ଗିର ଓ ଦେଓଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
ଅଗଷ୍ଟ ମାସରେ ବୃଷ୍ଟିପାତ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ୭ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ମାସରେ ୧୭ଟି ଜିଲ୍ଳାରେ ସାଧାରଣ ବୃଷ୍ଟିପାତ ଠାରୁ ସାମନ୍ୟ ଅଧିକ ଏବଂ ୧୨ ଟି ଜିଲ୍ଳାରେ ସାଧାରଣ ବୃୃଷ୍ଟିପାତ ହୋଇଅଛି । ୬ ଟି ଜିଲ୍ଲାରେ ୧୦୫%ରୁ ୧୭୬% ପର୍ଯ୍ୟନ୍ତ ଅଧିକ ବୃଷ୍ଟିପାତ ହୋଇଅଛି । ରାଜ୍ୟର କେବଳ ନୁଆପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here